ସଂସାର ଦେଖିବା ପୂର୍ବରୁ ଭାଗ୍ୟ ଚଡ଼କ : ବାପା ଛେଉଣ୍ଡ ଦୁଇ ଶିଶୁଙ୍କ ଆଖିରେ ଲୁହ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସଦର ମହକୁମାର ଆରଧ୍ୟା ନାଏକ( ୧୦) ଓ ଆହାନ ନାଏକ (୭)ବର୍ଷ , ଦୁଇ ଭାଇ ଭଉଣୀ ଅସହାୟ ହୋଇ ପଡିଛନ୍ତି, ବାପା ଟୁନା ନାଏକଙ୍କ ମୃତ୍ୟୁର ବର୍ଷେ ନ ହେଉଣୁ ମାଆ ମମତା ନାଏକ ନିଖୋଜ ହୋଇ ଯାଇଛି। ପରିବାର କହିଲେ ଆରଧ୍ୟା ଆହାନ ସମେତ ବିଧବା ଶାଶୁ ବୋହୂ ଗୋଟିଏ ଜାଗାରେ ରହି ଆସୁଥିଲେ।  ଗତ ୨୪ ତାରିଖ ରାତିରେ ପୁତ୍ରବଧୁ ମମତା ନାଏକ କୁଆଡେ ନିଖୋଜ ‌ହୋଇଯାଇଥିବା ନେଇ ଶାଶୁ ବୈଦେହୀ ନାଏକ କଲମପୁର ଥାନାରେ ଅଭିଯୋଗ କରିଛନ୍ତି।  ଅଭିଯୋଗକୁ ଆଧାର କରି କଲମପୁର ଥାନା ପକ୍ଷରୁ ମାମଲା ପଞ୍ଜିକୃତ ହୋଇଥିବା ବେଳେ ମମତାର ଖୋଜ ଖବର ଏଯାଏ ମିଳିନାହିଁ। ଏପଟେ ଜଣେ ପଡୋଶୀ ଯୁବକ ମଧ୍ୟ ସେ ସମୟରୁ ଅନ୍ତର୍ଦ୍ଧାନ ହୋଇଯାଇ ଥିବାରୁ ଅଭିନାଶ ସହିତ ମମତା କୁଆଡେ ଚାଲି ଯାଇଥିବା ସଂଦେହ କରି ଶାଶୁ ବୈଦେହୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏପଟେ ନାତି ନାତୁଣୀଙ୍କ ପାଇଁ ଆଇ ବୈଦେହୀର ଚିନ୍ତା ବଢ଼ି ଯାଇଛି। ବୈଦେହୀ ନିଜେ ହୃଦରୋଗୀ ହୋଇଥିବା ବେଳେ ସରକାରୀ ଚାଉଳ ଓ ମାସିକ ୧ ହଜାର ଟଙ୍କା ଭତ୍ତା ହିଁ ତାଙ୍କର ଶେଷ ରୋଜଗାର। ଏତିକିରେ ବୈଦେହୀ ନିଜର ଔଷଧ ପତ୍ର କରିବା ସହିତ ନାତି ନାତୁଣୀଙ୍କ ଭରଣ ପୋଷଣ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ହତାଶ ହୋଇ ପଡିଛନ୍ତି । ଖାଦ୍ୟ ପେୟର ଘୋର ଅନାଟନର ସମ୍ମୁଖୀନ ହୋଇ ଥିବା ବେଳେ ନାତି ନାତୁଣୀଙ୍କ ଭବିଷ୍ୟତ ଅନ୍ଧାର ପଥକୁ ଦେଖି ବିବ୍ରତ ଅବସ୍ଥାରେ ବାଉଳି ହେଉଛନ୍ତି, ନାତି ନାତୁଣୀଙ୍କ ପାଠ ପଢ଼ାରେ ମଧ୍ୟ ଏହା ପ୍ରଭାବିତ ହୋଇ ଥିବାରୁ ସରକାରଙ୍କ ତରଫରୁ ସହାୟତା ନ ମିଳିଲେ ସେଥିରେ ବି ଡୋରି ପଡିବା ନିଶ୍ଚିତ ହୋଇ ପଡ଼ିଛି। ବାପା ମାଆଙ୍କୁ ହରାଇବା ପରେ ସଂସାର ଦେଖିବା ପୂର୍ବରୁ ଭାଇ ଭଉଣୀଙ୍କ ଭାଗ୍ୟ ଉପରେ ଚଡକ ପଡ଼ିଛି, ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅସହାୟ ଭାଇ ଭଉଣୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *