କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁଙ୍କ ଅବସର ଅବସରରେ ଆଜି ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଶିକ୍ଷକତା ଜୀବନରେ ଶିକ୍ଷାଦାନ ସହିତ ବିଦ୍ୟାଳୟର ଶୈକ୍ଷିକ, ସାଂସ୍କୃତିକ ଓ ସାମଗ୍ରିକ ବିକାଶରେ ତାଙ୍କ ଅବଦାନକୁ ସ୍ମରଣ କରି ସହକର୍ମୀ, ଅତିଥି ଓ ଶିକ୍ଷା ପ୍ରେମୀମାନେ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ। ସରକାରୀ ଶିକ୍ଷକ ବାନ୍ଧବ ନାଏକଙ୍କ ସଭାପତିତ୍ୱରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସଭାରେ ବରଗାଁ ସରପଞ୍ଚ ରଶ୍ମିତା ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁଙ୍କ ଶିକ୍ଷା କ୍ଷେତ୍ରରେ ରହିଥିବା ଅବଦାନକୁ ପ୍ରଶଂସା କରିଥିଲେ। ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବା ସହ ସମାଜକୁ ଦିଗଦର୍ଶନ ଦେଇଥାନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଘଣ୍ଟାପଡ଼ାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡା, ନୂଆଁପାଳି ପ୍ରଧାନ ଶିକ୍ଷକ ଅନ୍ତ ଖେତି, ଖୁଣ୍ଟିଗୋରା ପ୍ରଧାନ ଶିକ୍ଷକ ସୋମନାଥ ସାହୁ, ଦିଗୁନମାଲ ପ୍ରଧାନ ଶିକ୍ଷକ ନେତ୍ର କର୍ମୀ, ଶିମିଳିଯୋରା ପ୍ରଧାନ ଶିକ୍ଷକ ପ୍ରକାଶ ପଧାନ ଓ ଆମ୍ବଗାଁ ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀସାହୁଙ୍କ କାର୍ଯ୍ୟଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୃତ୍ୟୁଞ୍ଜୟ ପ୍ରଧାନ ଏବଂ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଜିତୁଞ୍ଜୟ ମହାନନ୍ଦ ମଧ୍ୟ ଯୋଗଦେଇଥିଲେ। ଅତିଥିମାନେ ଶ୍ରୀସାହୁଙ୍କ ସରଳ, ନିଷ୍ଠାପର ଓ ଦାୟିତ୍ୱବୋଧପୂର୍ଣ୍ଣ କାର୍ଯ୍ୟଶୈଳୀକୁ ସ୍ମରଣ କରି ତାଙ୍କ ଅବସର ଜୀବନ ସୁଖମୟ ଓ ଶାନ୍ତିପୂର୍ଣ୍ଣ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ। ବିଦାୟ ସମାରୋହରେ ଶ୍ରୀତ୍ରିଲୋଚନ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ସେ ଯେଉଁ ନିଷ୍ଠାର ସହ କାର୍ଯ୍ୟ କରିଆସିଛନ୍ତି, ତାହାକୁ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କ ବିଦାୟ ବିଦ୍ୟାଳୟ ପରିବାର ପାଇଁ ଏକ ଭାବବିହ୍ୱଳ ମୁହୂର୍ତ୍ତ ହୋଇଥିଲା। ସଭାକୁ ନିତେଶ କୁମାର ବାରିକ ସୁଚାରୁ ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମାରୋହର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ଉତ୍ତମ ମାଝୀ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।
