ଉମା ପଞ୍ଚାୟତରେ ଜିଲ୍ଲାପାଳ-ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ସମସ୍ୟାକୁ ନିକଟରୁ ଶୁଣିବା ସହ ତାହାର ଶୀଘ୍ର ସମାଧାନ ଦିଗରେ ପ୍ରଶାସନିକ ପଦକ୍ଷେପ ନେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିବିରରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଜମିଜମା, ଆବାସ, ରାସନ, ପେନ୍‌ସନ, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ, ସାମାଜିକ ସୁରକ୍ଷା ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସମସ୍ୟା ନେଇ ଲୋକମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କଣ୍ଟାମାଳ ବିଡିଓ ସାମ୍ମୀ ରେଡ୍ଡୀ ଜୟଶ୍ରୀ, ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଡେପୁଟି କଲେକ୍ଟର ଜ୍ୟୋତିରଞ୍ଜନ ଭୁଏ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଆଜିର ଶିବିରରେ ସମୁଦାୟ ୫୯ଟି ଅଭିଯୋଗ ଉପରେ ଶୁଣାଣୀ କରାଯାଇଥିଲା। ଏଥିରୁ ୪୫ଟି ବ୍ୟକ୍ତିଗତ ଅଭିଯୋଗ ଓ ୧୪ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ନେଇ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣୀ ହୋଇଥିବା ଅଭିଯୋଗ ମଧ୍ୟରୁ ୨୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗ ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ବଢ଼ାଇବା ସହ ଅଭିଯୋଗର ସମାଧାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଥିଲା। ଶିବିରରେ ମାନବିକତାର ଏକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇଜଣ ଅସହାୟ ବ୍ୟକ୍ତିଙ୍କୁ ତତ୍କାଳ ସହାୟତା ଭାବେ ଜିଲ୍ଲା ରେଡ୍‌କ୍ରସ ପାଣ୍ଠିରୁ ମୋଟ ୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ସହାୟତା ଅସହାୟ ବ୍ୟକ୍ତିମାନଙ୍କ ପାଇଁ ଆଶ୍ୱାସନର କାରଣ ହୋଇଥିଲା ଅଭିଯୋଗ ଶୁଣାଣୀ ସହିତ ଉମା ପଞ୍ଚାୟତ ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ପ୍ରଶାସନର ଏଭଳି ପଦକ୍ଷେପକୁ ଉପସ୍ଥିତ ଲୋକେ ପ୍ରଶଂସା କରିଥିଲେ।ଉମା ପଞ୍ଚାୟତରେ ଆୟୋଜିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ପ୍ରଶାସନ ସହ ସିଧାସଳଖ ଯୋଗାଯୋଗର ଏକ ସୁଯୋଗ ସୃଷ୍ଟି କରିଥିଲା। ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏକାଠି ହୋଇ ଲୋକଙ୍କ ସମସ୍ୟା ଶୁଣିବା ଫଳରେ ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନର ବାଟ ଖୋଲିଥିଲା। ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଉମା ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ଠେଲା ମଧ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *