ପାଣିରେ ଭାସୁଛି ବିକାଶ : କାଦୁଅ ରାସ୍ତାରେ ନାକେଦମ୍ କୁସୁମଖୁଣ୍ଟିବାସୀ

କୋକସରା/କ୍ରାନ୍ତିକ୍ଷେତ୍ର  : ରାସ୍ତା ନା କୃତ୍ରିମ ପୋଖରୀ? କୋକସରା ବ୍ଲକ ମେଟେର ଗ୍ରାମ ପଞ୍ଚାୟତର କୁସୁମଖୁଣ୍ଟି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାକୁ ଦେଖିଲେ ଏବେ ଏପରି ପ୍ରଶ୍ନ ଉଠୁଛି। ପ୍ରଶାସନିକ ଅବହେଳା ଓ ଦୀର୍ଘଦିନର ମରାମତି ଅଭାବରୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ସମ୍ପୂର୍ଣ୍ଣ ଆସୁରକ୍ଷିତ ହୋଇପଡ଼ିଛି, ଯାହା ଯାତାୟାତ କରୁଥିବା ଶହ ଶହ ପଥଚାରୀଙ୍କ ପାଇଁ ଶାସ୍ତି ପାଲଟିଛି। ସୂଚନା ଯେ’ ୨୬ ନମ୍ବର ଜାତୀୟ ରାଜପଥରୁ ବାହାରି କୁସୁମଖୁଣ୍ଟି ଗ୍ରାମ ମଧ୍ୟଦେଇ ଇନ୍ଦ୍ରାବତୀ କେନାଲ ଛକ ପର୍ଯ୍ୟନ୍ତ ବିସ୍ତାରିତ ଏହି ରାସ୍ତାଟି ପୂର୍ତ୍ତ ବିଭାଗ ରାସ୍ତା ସହ ମିଶି ଡହଗାଁକୁ ଯୋଡୁଛି। ଗ୍ରାମର ମୁଖ୍ୟରାସ୍ତା କୁହାଯାଉଥିବା ଏହି ପଥର ସଂସ୍କାର ପାଇଁ ବିଭାଗୀୟ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି। ରାସ୍ତା ସାରା ସୃଷ୍ଟି ହୋଇଥିବା ବଡ଼ ବଡ଼ ଗାତରେ ବର୍ଷାଜଳ ଜମି ରହିବା ସହ ବିଭିନ୍ନ ସ୍ଥାନରେ କାଦୁଅ ଜମି ରହିଛି, ଯାହା ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି। ପ୍ରତିଦିନ ସ୍କୁଲ, କଲେଜ ଯାଉଥିବା କୋମଳମତି ଛାତ୍ରଛାତ୍ରୀ, ଦୈନନ୍ଦିନ ଖାଟିଖିଆ ଜନସାଧାରଣ ଅତ୍ୟନ୍ତ ନାକେଦମ୍ ହେଉଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ, ବିଜେଡ଼ି ସରକାର ସମୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ବିଜେଡି ଯିବାର ମାତ୍ର ଦୁଇ ବର୍ଷ ନପୁରୁଣୁ ବିଜେପି ଅମଳରେ ଏହି ରାସ୍ତାର ଅବସ୍ଥା ବେହାଳ ହୋଇଯାଇଛି। ନାଁ ସ୍ଥାନୀୟ ବିଧାୟକ, ନାଁ ସମ୍ପୃକ୍ତ ବିଭାଗ ଏଦିଗରେ ଦୃଷ୍ଟି ଦେଉ ନାହାନ୍ତି, ତେଣୁ ଲୋକେ ବିଜେପି ଅମଳରେ ପାଣିରେ ଭାସୁଛି ବିକାଶ ବୋଲି କଟାକ୍ଷ କରିଛନ୍ତି। ଏଣେ ସାଧାରଣ ଯାତାୟାତ ସ୍ୱାଭାବିକ କରିବା ପାଇଁ ସମ୍ପୃକ୍ତ ଆରଡ଼ି ବିଭାଗ ଓ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାର ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦୃଢ଼ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *