କୋକସରା/କ୍ରାନ୍ତିକ୍ଷେତ୍ର : ଗ୍ରାମାଞ୍ଚଳରେ କୋମଳମତି ଶିଶୁମାନଙ୍କୁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସହ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଏବଂ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ମାତ୍ର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଳିଆଯୋର ଗ୍ରାମରେ ଏହି ଯୋଜନାର ଏକ ନିରାଶାଜନକ ଚିତ୍ର ସାମ୍ନାକୁ ଆସିଛି। ନିଜସ୍ୱ ଗୃହ ଅଭାବରୁ ଏଠାରେ ଦୀର୍ଘ ଦିନ ହେବ ଏକ ସଙ୍କୁଚିତ ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୧୯୮୪-୮୫ ମସିହାରେ ସରକାରଙ୍କ ପକ୍ଷରୁ ଭାଳିଆଯୋର ଗ୍ରାମର ଏକ ସରକାରୀ ଜମିରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଦିଆଯାଉଥିଲା। ତେବେ ଗତବର୍ଷ ଉକ୍ତ ଜାଗାଟି ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ରୟତି (ନିଜସ୍ୱ) ଜମି ବୋଲି ଚିହ୍ନଟ ହେବା ପରେ, ସମ୍ପୃକ୍ତ ବ୍ୟକ୍ତି ଜଣକ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଗ୍ରାମବାସୀଙ୍କ ବାରମ୍ବାର ବୁଝାସୁଝା ସତ୍ତ୍ୱେ ସେ ଜମି ଛାଡ଼ିବାକୁ ନାରାଜ ହେବାରୁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ଶିଶୁଙ୍କ ପାଠପଢ଼ା ଜାରି ରଖିବା ପାଇଁ ବାଧ୍ୟ ହୋଇ ଗ୍ରାମର ଏକ କ୍ଷୁଦ୍ର ଭଡ଼ା କୋଠରୀରେ କେନ୍ଦ୍ର ଚଳାଯାଉଛି। ମାତ୍ର ଏହି ଛୋଟ ଘରଟିରେ ଶିଶୁମାନଙ୍କ ଖେଳବୁଲା ଓ ପାଠପଢ଼ାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏହାସହିତ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଟିକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପୋଷକ ଖାଦ୍ୟ ବଣ୍ଟନରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଗ୍ରାମରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଗ୍ରାମବାସୀମାନେ ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ନୂତନ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
