ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ଉପରଚବରି ଗ୍ରାମରେ ଅଘଟଣ। ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ୨୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତ ଯୁବକ ହେଲେ ଉପରଚବରି ଗ୍ରାମର ରାଇସିଂ ମାଝୀଙ୍କ ପୁଅ ଶରତ ମାଝୀ। ସୂଚନା ଅନୁସାରେ, ଆଜି ସକାଳେ ଶରତ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ହଠାତ୍ ପାଣିରେ ବୁଡ଼ି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ମହୁଲପାଟଣା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଥୁଆମୂଳ ରାମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଶରତଙ୍କ ମୃତଦେହ ଉଦ୍ଧାର କରିଥିଲେ। ବର୍ତ୍ତମାନ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ମେଡିକାଲକୁ ପଠାଇବା ପାଇଁ ଶବବାହକ ଗାଡ଼ିର ଅପେକ୍ଷାରେ ରହିଛି। ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
