କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦାଗଡ଼ ବାଲିପଡ଼ା କୁ ଶନିବାର କେରଳରୁ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ସ୍ଥାନୀୟ କରୁଣା ମାଝୀ (୫୨)। ସୂଚନାଯୋଗ୍ୟ, ପରିବାରର ଆର୍ଥିକ ସଙ୍କଟ ଯୋଗୁଁ କରୁଣା ରୋଜଗାର ଆଶାରେ ଖଲିଗଡ଼ ଗ୍ରାମର କିଛି ଶ୍ରମିକଙ୍କ ସହ ଗତ ତିନି ସପ୍ତାହ ତଳେ କେରଳ ଯାଇଥିଲେ। ସେଠାକାର କୋଳିକୋଟରେ ଥିବା ‘ଏକେଆର୍’ ନାମକ ଏକ ଠିକା ସଂସ୍ଥାରେ ସେ କାର୍ଯ୍ୟ କରୁଥିଲେ। ତେବେ ଗତ ବୁଧବାର ରାତିରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଜିଲ୍ଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ ପରିବାର ଲୋକେ ଶବ ଗାଁକୁ ପଠାଇବା ପାଇଁ ଠିକାଦାରଙ୍କୁ ଅନୁରୋଧ କରିଥିଲେ ହେଁ ଠିକା ସଂସ୍ଥାର ମାଲିକ ଏଥିପାଇଁ ମନା କରିଦେଇଥିଲେ। ପରେ ଗ୍ରାମର ଫକୀର ପୁଝାରୀ କେରଳ ପହଞ୍ଚି ଧାର-କରଜ କରି ଏକ ଆମ୍ବୁଲାନ୍ସ ଯୋଗେ ଶନିବାର ମୃତଦେହକୁ ଗାଁକୁ ଆଣିଥିଲେ। ଗାଁରେ ମୃତଦେହ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ଥାନୀୟ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ମୃତକଙ୍କ ବିଧବା ପତ୍ନୀ ପାର୍ବତୀ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ଏହି ଗରିବ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
