ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଞ୍ଚଳର ଦୁଇ ଜଣ ଯୁବ ଓ ଅଭିଜ୍ଞ କଂଗ୍ରେସ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି। ଦ୍ରୌପଦୀ ମାଝୀଙ୍କୁ ସାଧାରଣ ସମ୍ପାଦିକା ଏବଂ ମୁରଲୀଧର ନାଏକଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଏହି ନିଯୁକ୍ତି ପରେ ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଥୁଆମୂଳ ରାମପୁର ଅଞ୍ଚଳରୁ ରାଜନୈତିକ ଯାତ୍ରା ଆରମ୍ଭ କରି ଉଭୟ ନେତା କଂଗ୍ରେସ ସଂଗଠନରେ ବିଭିନ୍ନ ଦାୟିତ୍ୱ ତୁଲାଇ ଆସିଛନ୍ତି। ତୃଣମୂଳସ୍ତରରୁ ସଂଗଠନକୁ ମଜବୁତ କରିବା ସହ ନିଜ ନିଜ ଅଞ୍ଚଳରେ ଦଳ ପାଇଁ ସକ୍ରିୟ ଭୂମିକା ନେଇଥିବାରୁ ଏବେ ଉଭୟଙ୍କୁ ପ୍ରଦେଶ କଂଗ୍ରେସରେ ଦାୟିତ୍ୱ ମିଳିଥିବା କୁହାଯାଉଛି।ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଦ୍ରୌପଦୀ ମାଝୀ ସରପଞ୍ଚ, ସମିତି ସଭ୍ୟା ଏବଂ ଜ଼ିଲ୍ଲା ପରିଷଦ ସଭ୍ୟା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ନିଜର ନେତୃତ୍ୱ ଦକ୍ଷତା ପ୍ରମାଣିତ କରିଛନ୍ତି। କଳାହାଣ୍ଡିର ବରିଷ୍ଠ ନେତା ତଥା ବର୍ତ୍ତମାନର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ମାର୍ଗଦର୍ଶନ ଓ ପରାମର୍ଶରେ ସେ କଂଗ୍ରେସ ରାଜନୀତିରେ ଜଣେ ଦକ୍ଷ ମହିଳା ନେତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏପରିକି ସେ କଂଗ୍ରେସ ପକ୍ଷରୁ ସାଂସଦ ପ୍ରାର୍ଥୀନୀ ଭାବେ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି। ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିରେ ମହିଳା ସାଧାରଣ ସମ୍ପାଦିକା ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସେହିପରି ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ଗ୍ରାମର ଉଚ୍ଚଶିକ୍ଷିତ ଯୁବକ ମୁରଲୀଧର ନାଏକ ନିଜ ପଞ୍ଚାୟତର ଯୁବ ସଭାପତି ଭାବେ କଂଗ୍ରେସ ରାଜନୀତିରେ ପଦାର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ବ୍ଲକ ସାଧାରଣ ସମ୍ପାଦକ ସଭାପତି, ଜିଲ୍ଲା ପରିଷଦ ସଭ୍ୟ, ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ମିଡିଆ ସେଲ୍ ସଂଯୋଜକ, , ଜିଲ୍ଲା ସାଧାରଣ ସମ୍ପାଦକ, ଜିଲ୍ଲା ମିଡିଆ ସେଲ୍ ଅଧ୍ୟକ୍ଷ ଏବଂ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ପିସିସିରେ ନୂତନ ଦାୟିତ୍ୱ ପାଇବା ପରେ ଉଭୟ ଦ୍ରୌପଦୀ ମାଝୀ ଓ ମୁରଲୀଧର ନାଏକ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଲାଲଜୀ ଦେଶାଇ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ନିଯୁକ୍ତିକୁ ନେଇ ଥୁଆମୂଳ ରାମପୁର ବ୍ଲକର କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବା ସହ ତୃଣମୂଳସ୍ତରରେ କଂଗ୍ରେସର ଜନସମର୍ଥନ ବୃଦ୍ଧି ପାଇବ ବୋଲି ବ୍ଲକ କଂଗ୍ରେସ ମହଲରେ ଆଶା ପ୍ରକାଶ ପାଇଛି।
