ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ। ଆନ୍ଧ୍ରପ୍ରଦେଶରେ ପୋଖରୀରେ ବୁଡ଼ି ଥୁଆମୂଳ ରାମପୁର ବ୍ଲକ ସୁଙ୍ଗେରଗଡ଼ ଗାଁର ବାଲସିଂ ମାଝୀଙ୍କ ମୃତ୍ୟୁ ଘଟିଛି। ତେବେ ମୃତଦେହ ଗାଁକୁ ଫେରିବା ପରେ ପୁଣି ସାମ୍ନାକୁ ଆସିଛି ଦୁର୍ଗମ ରାସ୍ତାର ବାସ୍ତବ ଚିତ୍ର। ଆମ୍ବୁଲାନ୍ସ ଗାଁଠାରୁ ପ୍ରାୟ ୨ କିଲୋମିଟର ପୂର୍ବରୁ ଅଟକିଯିବାରୁ ଖଟିଆରେ ମୃତଦେହକୁ ବୋହି ଗାଁକୁ ନେଇଥିଲେ ଗ୍ରାମବାସୀ।
ପରିବାର ପ୍ରତିପୋଷଣ ପାଇଁ ବାଲସିଂ ମାଝୀ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଣ୍ଟୁର ନିକଟ ଗୁଡିଓ୍ବାଡାକୁ କାମ କରିବାକୁ ଯାଇଥିଲେ। ସେଠାରେ ନାଗେଶ୍ବର ନାମକ ଜନୈକ ମାଲିକଙ୍କ ଏକ ଫାର୍ମରେ କରୁଥିଲେ। ମାଛଚାଷ ପୋଖରୀକୁ ଡଙ୍ଗାରେ ଯାଇ ମାଛଙ୍କୁ ଖାଦ୍ୟ ଦେବାବେଳେ ଡଙ୍ଗାଟି ବୁଡ଼ିଯାଇଥିଲା। ସହଯୋଗୀ ପହଁରି କୂଳକୁ ଫେରିଥିବା ବେଳେ ବାଲସିଂ ଆଉ ଫେରିପାରିନଥିଲେ।
ପରେ ମୃତଦେହକୁ ଆଜି ନିଜ ଗାଁ ସୁଙ୍ଗେରଗଡ଼କୁ ଅଣାଯାଉଥିବା ବେଳେ ଦୁର୍ଗମ ରାସ୍ତାରେ ଆମ୍ବୁଲାନ୍ସର ଚକା ଫାଟିଯାଇଥିଲା। ଫଳରେ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା। ଶେଷରେ ଗ୍ରାମବାସୀ ଏକ ଖଟିଆରେ ବାଲସିଂଙ୍କ ମୃତଦେହକୁ ପ୍ରାୟ ୨ କିଲୋମିଟର ବୋହି ଗାଁକୁ ନେଇଥିଲେ।
ଏହି ଘଟଣା ପୁଣିଥରେ ଦାଦନ ସମସ୍ୟା ସହ ସୁଙ୍ଗେରଗଡ଼ ଗାଁର ଦୁର୍ଗମ ରାସ୍ତାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି।
