କୋକସରା/କ୍ରାନ୍ତିକ୍ଷେତ୍ର : ଦେବ ଶିଳ୍ପୀ ଭଗବାନ ବିଶ୍ଵକର୍ମାଙ୍କ ପୂଜା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତରେ ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପଞ୍ଚାୟତ ସ୍ତରୀୟ ମା’ ମାଣିକେଶ୍ବରୀ ରାଜମିସ୍ତ୍ରୀ ସଂଘର ଆନୁକୂଲ୍ୟରେ ଆୟୋଜିତ ଏହି ପୂଜାସ୍ଥଳୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ହେମନ୍ତ ନାଏକ ଓ ତାଙ୍କ ସହଧର୍ମିଣୀ ନନ୍ଦିନୀ ନାଏକ ପୂଜାକର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ, ପୂଜକ ଚନ୍ଦ୍ରଶେଖର ଦାସ ବିଧିବଦ୍ଧ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ମହୋତ୍ସବରେ କେବଳ ରାଜମିସ୍ତ୍ରୀ ନୁହଁନ୍ତି, ବରଂ ବଢ଼େଇ ଏବଂ ଗାଡ଼ି ମାଲିକ ସଂଘର କର୍ମକର୍ତ୍ତାମାନେ ମଧ୍ୟ ଏକାଠି ହୋଇ ବିଶ୍ଵକର୍ମାଙ୍କ ନିକଟରେ ନିଜର କର୍ମକ୍ଷେତ୍ରର ସଫଳତା ଓ ସମାଜର ମଙ୍ଗଳ କାମନା କରିଥିଲେ। କମିଟି ପକ୍ଷରୁ ସମସ୍ତ ଦର୍ଶନାର୍ଥୀଙ୍କ ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇଥିଲା। ଏହି ସମାରୋହକୁ ସଫଳ କରିବାରେ ଆୟୋଜକ କମିଟି ତଥା ରାଜମିସ୍ତ୍ରୀ ସଂଘର ସଭାପତି ରାଜକୁମର ବନ୍ଦିଛୋଡ, ସମ୍ପାଦକ ଦେବେନ୍ଦ୍ର ଧଙ୍ଗଡାମାଝୀ, ସହ ସମ୍ପାଦକ ଘାସିରାମ ପୁଝାରୀ, କୋଷାଧ୍ୟକ୍ଷ ବସନ୍ତ ବାଗ, ସହ କୋଷାଧ୍ୟକ୍ଷ ଯୁଗଳ ଛତ୍ରୀଆ, ଉପଦେଷ୍ଟା ଧର୍ମୁ ପୁଝାରୀ, ପରିଚାଳକ ମଧୁସୂଦନ ନାଏକ ଏବଂ ଗାଡ଼ି ମାଲିକ ସଂଘର ହରିହର ହଂସ, ମନ୍ମଥ ଦାସ, ଲଲିତ ନାଏକ, ରୋମାଞ୍ଚଳ ବାଗ, ଦେବେନ୍ଦ୍ର ପୁଝାରୀ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତିନୋଟି ପ୍ରମୁଖ ସଂଘର ଶତାଧିକ ସଦସ୍ୟଙ୍କ ଏହି ମିଳିତ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିପାରିଥିଲା।
