ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ସଦରମହକୁମା ସ୍ଥିତ ଗୌଶିକ ଫିଟନେସ ପାର୍କ ଜିମର ସଦସ୍ୟ ଶଶାଙ୍କ ଶେଖର ସାହୁ ରାଜ୍ୟସ୍ତରରେ ଏବଂ ଜାତୀୟ ସ୍ତରରେ ପଦକ ହାସଲ କରିବା ପରେ ଏବେ ପୁଣି ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଅଲ ଇଣ୍ଡିଆ ବୋଡି ବିଲଡିଂ ଫେଡେରେସନ ତରଫରୁ ସ୍ୱୀକୃତି ପାଇଛନ୍ତି। ଏହା ସମଗ୍ର ଜିଲ୍ଲା ଏବଂ ରାଜ୍ୟ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ। ସୂଚନା ଯୋଗ୍ୟ ଯେ’ ଜୁନ ୨ ଏବଂ ୩ ତାରିଖ ଦୁଇ ଦିନ ଧରି ପୁନେରେ ଆୟୋଜିତ ହୋଇଥିବା ଟ୍ରାଏଲରେ ଓଡିଶା ତରଫରୁ ୧୦ ଜଣ ପ୍ରତିଯୋଗୀ ଷ୍ଟେଟ ବୋଲିବିଲଡିଙ୍ଗ ଏସୋସିଏସନ ପକ୍ଷରୁ ଭାଗ ନେଇଥିଲେ, ସେହି ପ୍ରତିଯୋଗୀତାରେ ଶଶାଙ୍କଙ୍କ ସହ ଆଉ ୩ ଜଣ ପ୍ରତିଯୋଗୀ ଆଗାମୀ ଏସିଆ ଏବଂ ୱାର୍ଲଡ ପ୍ରତିଯୋଗୀତାରେ ଭାରତ ପକ୍ଷରୁ କୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥି ସମେତ ନବରଙ୍ଗପୁର ଜିଲ୍ଲା ପାଇଁ ଆଉ ଏକ ଗର୍ବର ବିଷୟ ଯେ ଓଡିଶା ଦଳର ମ୍ୟାନେଜର ଭାବେ ଗୌଶିକ ଫିଟନେସ ପାର୍କ ଜିମର ମୁଖ୍ୟ ତଥା ଶଶାଙ୍କଙ୍କ କୋଚ ରୋମିଓ ପାତ୍ର ସୁଚାରୁ ରୂପେ ନିଜ ଦାଇତ୍ୱ ସମ୍ପାଦନା କରିଥିଲେ। ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲାର କ୍ରୀଡାବିତ୍ ଏବଂ କ୍ରୀଡ଼ାପ୍ରେମୀ ଖୁସି ପ୍ରକଟ କରିଛନ୍ତି। ସୂଚନା ଯୋଗ୍ୟ ଯେ ଗୁରୁ ରୋମିଓ ପାତ୍ର ଏବଂ ଶିଷ୍ୟ ଶଶାଙ୍କଙ୍କ ଯୋଡି ଏଥି ପୂର୍ବରୁ ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ଏବଂ ଜାତୀୟ ସ୍ତରର ପ୍ରତିଯୋଗୀତାରେ ରୌପ୍ୟ ପଦକ ହାସଲ କରିସାରିଛନ୍ତି। ଏହି ଯୋଡି ଆସନ୍ତା ଅଗଷ୍ଟ ମାସରେ ବେଙ୍କକରେ ହେବାକୁ ଥିବା ମିଷ୍ଟର ଏସିଆ ଏବଂ ନଭେମ୍ବରରେ ଇଣ୍ଡୋନେସିଆ ହେବାକୁ ଥିବା ମିଷ୍ଟର ୱାର୍ଲଡ ପ୍ରତିଯୋଗୀତାରେ ପଦକ ହାତେଇବା ଲକ୍ଷରେ ବିଦେଶ ଯାତ୍ରା କରିବେ ବୋଲି ସୂଚନା ପ୍ରାପ୍ତ ହୋଇଛି। ନିଜ ପ୍ରତିକ୍ରିୟାରେ ଶଶାଙ୍କ କହିଛନ୍ତି ଯେ ଗୁରୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୌଶିକ ଫିଟନେସ ପାର୍କ ଜିମରେ ଦିନକୁ ଆଠ ଘଣ୍ଟାର କଠିନ ପରିଶ୍ରମ କରୁଛନ୍ତି । ଗୁରୁ ଶିଷ୍ୟଙ୍କ ଯୋଡି ଆଗାମୀ ଦିନରେ ଅନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଦେଶ ନିଶ୍ଚୟ ପାଇଁ ଗୌରବ ଆଣିବେ ବୋଲି ଜିଲ୍ଲା ବାସୀ ଆଶାବାଦୀ ଅଛନ୍ତି।

