ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଦାଦନ ରୋକିବା ତଥା ସ୍ଥାନୀୟ ଯୁବବର୍ଗଙ୍କୁ ଦକ୍ଷତା ଓ ଆର୍ଥିକ ସ୍ଵାବଲମ୍ବନ କରିବା ଲକ୍ଷ୍ୟରେ ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡି ପକ୍ଷରୁ ଟେଲରିଂ ଶିକ୍ଷା ଦିଆଯାଉଛି। ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସହଯୋଗରେ ବେହେରାଠାରେ ପରିଚାଳିତ ଟେଲରିଂ ପ୍ରଶିକ୍ଷଣ କେନ୍ଦ୍ରରେ ଯୁବତୀମାନଙ୍କୁ ନୂତନ ଜୀବିକାର ସୁଯୋଗ ପ୍ରଦାନ କରୁଛି। ଶନିବାର ପ୍ରଶିକ୍ଷଣ ସମାପ୍ତ କରିଥିବା ଯୁବତୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ସଂଗଠନ ସଭାପତି ରଜତ ବଂଶଲଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୁବ୍ରତ ତ୍ରିପାଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷୀରମଣି କୁମ୍ଭାର, ଗୋଷ୍ଠୀ ସଂପାଦିକା ସାବିତ୍ରୀ ନାଏକ, ପ୍ରଶିକ୍ଷିକା ଦୀପିକା ସାହୁ ଏବଂ ହାରାମଣି ନାଏକ ମଞ୍ଚାସୀନ ଥିଲେ। ଏହି ପ୍ରଶିକ୍ଷଣ ଗ୍ରହଣକରି ଅନେକ ଯୁବତୀ ନିଜ ଗାଁରେ ରହି ସିଲେଇ କାମ ଆରମ୍ଭ କରିଛନ୍ତି। ଏହା ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରିବା ସହ ସମାଜରେ ସେମାନଙ୍କ ସ୍ଥାନ ସୁଦୃଢ଼ କରୁଛି। ଜନ ଶିକ୍ଷଣ ସଂସ୍ଥାନର ଏହି ଉଦ୍ୟମ ଦଣ୍ଡପାଟ ଅଞ୍ଚଳରେ ଦାଦନ ନିୟନ୍ତ୍ରଣ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

