ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଦକ୍ଷିଣ ପୂର୍ବ ରେଳପଥ, ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରେଳ ଲାଇନର ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଜୁନାଗଡ଼-ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ ଓ ରାୟପୁର-ଜୁନାଗଡ଼-ରାୟପୁର ପାସେଞ୍ଜର ଟ୍ରେନ ରହଣୀ ବାତିଲ ହେବାକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହି ପାସେଞ୍ଜର ହଲଟ ଉପରେ ଲାଞ୍ଜିଗଡ଼, ନର୍ଲା, ମ.ରାମପୁର ତଥା କର୍ଲାମୁଣ୍ଡା ବ୍ଲକ ଓ ସଦର ବ୍ଲକର ଲକ୍ଷାଧିକ ଲୋକେ ନିର୍ଭର କରି ଆସୁଛନ୍ତି। କିନ୍ତୁ କୋଭିଡ କଟକଣା ପରେ ପରେ ଏହି ପାସେଞ୍ଜର ହଲଟରେ ଉଭୟ ଟ୍ରେନ ରହଣୀ ବାତିଲ ହୋଇଯାଇଛି। ଯାହାଫଳରେ ଲୋକେ ଟ୍ରେନ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହାକୁ ନେଇ ଆଜି କଳାହାଣ୍ଡି ରେଳଯାତ୍ରୀ ସଙ୍ଘ, ରାମଚନ୍ଦ୍ରପୁର ଶାଖା ପକ୍ଷରୁ ରାମଚନ୍ଦ୍ରପୁର ବଜାର ପଡ଼ିଆରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଗଣ ଉପସ୍ଥିତ ରହି ଟ୍ରେନ ରହଣୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହିତ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏନେଇ ପତ୍ର ଜରିଆରେ ଅବଗତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ରାମଚନ୍ଦ୍ରପୁର ପାସେଞ୍ଜର ହଲଟକୁ ପୂର୍ଣ୍ଣାଙ୍ଗ ଷ୍ଟେସନରେ ପରିଣତ କରିବା, ଷ୍ଟେସନରେ ପରିତ୍ୟକ୍ତ ଷ୍ଟାଫ କ୍ୱାର୍ଟର ସଜାଡ଼ିବା ସହିତ ଆଲୋକୀକରଣ ଓ ପାନୀୟଜଳର ସୁବ୍ୟବସ୍ଥା ପାଇଁ ଦାବି କରାଯିବାକୁ ନେଇ ଆଲୋଚନା ହୋଇଥିଲା। ଏପରିକି ଟ୍ରେନ ରହଣୀ ନକଲେ ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବୈଠକରେ ବରିଷ୍ଠ ନାଗରିକ ଦିଲୀପ ମିଶ୍ର, ଅଶୋକ ପାଢ଼ୀ, ଉମାଶଙ୍କର ବେହେରା, ଚକ୍ରଧର ପଣ୍ଡା, କିଶୋର ପୁରୋହିତ, ଅଶୋକ ପୁରୋହିତ, ଶମ୍ଭୁ ସାହୁ, ବୀରେନ କୁମାର ପଣ୍ଡା, ପିଣ୍ଟୁ ପତି, ରଞ୍ଜିତ ପଣ୍ଡା, ଅକ୍ଷୟ ସାହୁଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ରେଳଯାତ୍ରୀ ସଂଘ, ରାମଚନ୍ଦ୍ରପୁରର ସଭାପତି ପ୍ରଭାତ ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସାମ୍ବାଦିକ ସୁଶୀଲ କୁମାର ବାଗ ପରିଚାଳନା କରିଥିଲେ।

