କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲାରେ ସାର ବ୍ୟବସାୟୀଙ୍କ ସଙ୍କଟ। ଦୀର୍ଘ ଦିନ ଧରି ଚାଷୀଙ୍କୁ ସେବା ଯୋଗାଇ ଆସୁଥିବା ଖୁଚୁରା ସାର ବ୍ୟବସାୟୀମାନେ ଏବେ ଗଭୀର ଆର୍ଥିକ ଓ ମାନସିକ ସଂକଟ ଦେଇ ଗତି କରୁଛନ୍ତି। ସରକାରୀ ନିୟମ, କମ୍ ଲାଭାଂଶ ଏବଂ ବାଧ୍ୟତାମୂଳକ ‘ଟ୍ୟାଗିଂ’କୁ ନେଇ ଏବେ ଏକତ୍ରିତ ହୋଇଛି ଜିଲ୍ଲା ଖୁଚୁରା ସାର ବ୍ୟବସାୟୀ ସଂଘ। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସାର ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ। ୟୁରିଆ ବିକ୍ରିରେ ଲାଭ ନାହିଁ, ଓଲଟା ସହୁଛନ୍ତି କ୍ଷତି। କଳାହାଣ୍ଡି ଜିଲ୍ଲାରେ ଖୁଚୁରା ସାର ବ୍ୟବସାୟ ଏବେ ବ୍ୟବସାୟୀଙ୍କ ପାଇଁ ବୋଝ ପାଲଟିଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ୟୁରିଆ ସାରର ସରକାରୀ ମୂଲ୍ୟ ୨୬୬ ଟଙ୍କା ଥିବାବେଳେ ଜୁନାଗଡ଼ ରାକ ପଏଣ୍ଟରୁ ଆଣିବା ବେଳକୁ ପରିବହନ ଓ ଲୋଡିଂ ଖର୍ଚ୍ଚ ମିଶି ଗୋଟିଏ ବସ୍ତା ପିଛା ପ୍ରାୟ ୩୧୨ ଟଙ୍କା ଖର୍ଚ୍ଚ ହେଉଛି। ଫଳରେ ସରକାରୀ ଦରରେ ବିକ୍ରି କଲେ ବସ୍ତା ପିଛା ମୋଟା ଅଙ୍କର କ୍ଷତି ସହିବାକୁ ପଡୁଛି। ଖାଲି ସେତିକି ନୁହେଁ, ବଡ଼ ଡିଲରମାନଙ୍କ ‘ଟ୍ୟାଗିଂ’ ବ୍ୟବସ୍ଥା ବ୍ୟବସାୟୀ ଓ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ୟୁରିଆ କିମ୍ବା ଡିଏପି ଭଳି ମୁଖ୍ୟ ସାର ସହିତ ଅଦରକାରୀ ସାମଗ୍ରୀ କିଣିବାକୁ ବ୍ୟବସାୟୀଙ୍କୁ ବାଧ୍ୟ କରାଯାଉଛି। ଏପଟେ ଡିଜିଟାଲ ଯୁଗରେ ଏମ୍ଏଫ୍ଏମ୍ଏସ୍ (MFMS) ଆପ୍‌ରେ ସବୁ ତଥ୍ୟ ଅପଡେଟ୍ ହେଉଥିଲେ ମଧ୍ୟ ପୁଣିଥରେ ମାନୁଆଲ ରେଜିଷ୍ଟର ରଖିବା ପାଇଁ ବିଭାଗୀୟ ଚାପ ପ୍ରୟୋଗ କରାଯାଉଥିବା ନେଇ ସଂଘ ଅଭିଯୋଗ କରିଛି। ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ, ଓଲଟା ମାନସିକ ନିର୍ଯାତନା ଦିଆଯାଉଥିବା ସଂଘ କହିଛି। ଏହି ଅବସରରେ ସଂଘ ତିନୋଟି ମୁଖ୍ୟ ଦାବି ରଖିଛି: ସମସ୍ତ ସାରକୁ FOR (Freight On Road) ଦରରେ ଯୋଗାଇ ଦିଆଯାଉ।ବାଧ୍ୟତାମୂଳକ ‘ଟ୍ୟାଗିଂ’ବନ୍ଦ କରାଯାଉ। ମାନୁଆଲ ରେଜିଷ୍ଟର ବ୍ୟବସ୍ଥା ଉଚ୍ଛେଦ କରାଯାଉ।ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ସାର ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *