ଚତୁର୍ଦ୍ଧା ବିଗ୍ରହଙ୍କ ସ୍ୱାଗତ ଉତ୍ସବ ସମ୍ପନ୍ନ : ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ବିଶ୍ୱନାଥପୁର

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର ) : ଆସନ୍ତା ରଥଯାତ୍ରା ପୂର୍ବରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଭକ୍ତିମୟ ପରିବେଶରେ ଛାଇ ହୋଇଉଠିଛି। ଏଥର ପ୍ରଥମ ବର୍ଷ ବିଶ୍ୱନାଥପୁରରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ନେଇ ଗଠିତ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ୱାଗତ ଉତ୍ସବ ମଙ୍ଗଳବାର ବିଶ୍ୱନାଥପୁରେ ବ୍ୟାପକ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଆଜି ସକାଳୁ ଶ୍ରୀ ଜଗନ୍ନାଥ ସେବା ସମିତି ପକ୍ଷରୁ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ପୁଷ୍ପ, ଚନ୍ଦନ ଓ ଅଳଙ୍କାରେ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ଓ ପରେ ନଗର ପରିକ୍ରମା ଆରମ୍ଭ ହୋଇଥିଲା। “ଜୟ ଜଗନ୍ନାଥ, ହରିବୋଲ” ଧ୍ୱନି ଓ କୀର୍ତ୍ତନ-ଭଜନରେ ସମଗ୍ର ଗାଁ ଆଧ୍ୟାତ୍ମିକମୟ ହୋଇପଡ଼ିଥିଲା। ନଗର ପରିକ୍ରମା ବେଳେ ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତାରେ ଭକ୍ତମାନେ ଠାକୁରଙ୍କୁ ପୁଷ୍ପମାଳା ଅର୍ପଣ କରିବା ସହ ଆରତୀ ଦେଖାଇ ସ୍ୱାଗତ କରିଥିଲେ। ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ମହାପ୍ରଭୁଙ୍କୁ ଛୁଇଁ ପୁଣ୍ୟ ଅର୍ଜନ କରିଥିଲେ। ନଗର ପରିକ୍ରମା ପରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରସାଦ ଗ୍ରହଣ କରିଥିଲେ। ପ୍ରସାଦ ବଣ୍ଟନରେ ସ୍ଥାନୀୟ ମହିଳା ମଣ୍ଡଳ ଓ ଯୁବକମାନେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ବିଶ୍ଵନାଥପୁର ଜଗନ୍ନାଥ ସମଗ୍ର ଉତ୍ସବକୁ ଶ୍ରୀ ଜଗନ୍ନାଥ ସେବା ସମିତିର ସଭାପତି ତଥା ମୂଖ୍ୟ କର୍ତ୍ତା ପ୍ରଦିପ ଘଡେ଼ଇ, ଉପସଭାପତି ତରୁଣ କୁମାର ଦାସ, ସମ୍ପାଦକ ମନୋରଞ୍ଜନ ବିଶି, ସହ ସମ୍ପାଦକ ଅଜିତ କୁମାର ପ୍ରଧାନୀ, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ଘଡେ଼ଇ, ସହ କୋଷାଧ୍ୟକ୍ଷ ଧବଳେଶ୍ଵର ଠେଲା ଓ ଜଗନ୍ନାଥ ପ୍ରେମୀ, ସେବାୟତ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା କରାଯାଇଥିଲା। ସ୍ୱେଚ୍ଛାସେବୀମାନେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରିଥିଲେ। ଏଥର ପ୍ରଥମ ବର୍ଷ ବିଶ୍ୱନାଥପୁର ରଥଯାତ୍ରା ବହୁତ ଭବ୍ୟ ହେବାକୁ ଥିବା ବେଳେ ମଙ୍ଗଳବାର ବିଗ୍ରହ ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଧବାର ସକାଳୁ ବିଗ୍ରହ ପ୍ରତିଷ୍ଠା ଆରମ୍ଭ ହୋଇ ଶୁକ୍ରବାର ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହେବା ବୋଲି ଜଗନ୍ନାଥ ସେବା ସମିତି ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *