ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ଦିଶାରୀ ଆଜି ଦୁର୍ଗମ ପାହାଡ଼ପଦର ଓ ଲାଖବାହାଲି ଗ୍ରାମ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଲାଞ୍ଜିଗଡ଼ ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ ନାଏକ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ସମିତି ସଭ୍ୟ ଜଗଦୀଶ ବେନିଆ, ମନୋହର ହରପାଳ, ସମାଜସେବୀ କିଶୋର ହରପାଳ, ହରିହର କୁମାର, ବିରଞ୍ଚି ପ୍ରଧାନୀ, ରାମତୁ ମାଝୀ, ବୈଦ୍ୟନାଥ ନାଏକ, ବନ ଦଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଗସ୍ତ ସମୟରେ ବିଧାୟକ ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କ ମୌଳିକ ସମସ୍ୟା ବାବଦରେ ପଚାରି ବୁଝିଥିଲେ। ବିଶେଷ କରି ପାନୀୟ ଜଳ, ଗମନାଗମନ, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷାର ସ୍ଥିତି ସମ୍ପର୍କରେ ସ୍ଥାନୀୟ ଲୋକେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହ ଅଞ୍ଚଳରେ ଚାଲୁ ରହିଥିବା ବିଭିନ୍ନ ସରକାରୀ ଓ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ସେ ସମୀକ୍ଷା କରିଛନ୍ତି। ଅଞ୍ଚଳର ବିକାଶ ପାଇଁ ସେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ଅତିଶୀଘ୍ର କରାଯିବ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି।ଦୀର୍ଘ ଦିନ ପରେ ବିଧାୟକ ଦୁର୍ଗମ ଅଞ୍ଚଳକୁ ଆସି ସିଧାସଳଖ ଲୋକଙ୍କ ସମସ୍ୟା ଶୁଣିଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *