ଝରିଗାଁ ଥାନାରେ ‘ଆମ ପୋଲିସ ସମିତି’ ପକ୍ଷରୁ ସଚେତନତା

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ପରିସରରେ ‘ଆମ ପୋଲିସ ସମିତି’ ପକ୍ଷରୁ ଜନସାଧାରଣଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝରିଗାଁ ଥାନାର ଏସ୍‌ଆଇ ଲକ୍ଷ୍ମୀ ନାରାୟଣ ଦୋରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା, ସାଇବର ଠକେଇ ଏବଂ ନିଶା ନିବାରଣ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ଯାନବାହନ ଚଳାଚଳ ସମୟରେ ହେଲମେଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଅତ୍ୟଧିକ ବେଗରେ ଯାନ ଚଳାଚଳରୁ ବିରତ ରହିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ଅଜଣା ଲିଙ୍କ ଖୋଲିବାରୁ ବିରତ ରହିବା ଏବଂ ନିଜର ବ୍ୟକ୍ତିଗତ ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହାକୁ ନ ଦେବାକୁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ନିଶା ନିବାରଣ ଅଭିଯାନ ମାଧ୍ୟମରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଝରିଗାଁ ନାଗରିକ ମଞ୍ଚର ବରିଷ୍ଠ ବୁଦ୍ଧିଜୀବୀ, ବିଭିନ୍ନ କର୍ମଜୀବୀ ବ୍ୟକ୍ତି ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ। ଶେଷରେ ସୁରକ୍ଷିତ, ନିଶାମୁକ୍ତ ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ସମସ୍ତଙ୍କୁ ଆଇନ ଓ ସଡ଼କ ନିୟମ ମାନି ଚଳିବାକୁ ଆହ୍ୱାନ ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *