କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଥାନା ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବିଳମ୍ବିତ ରାତିରେ ପୁଣି ଏକ ଚୋରି ହୋଇଥିବା ଅଭିଯୋଗ ଆସିଛି। ଘର ଖାଲି ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଳାକନା ବୁଲାଇବା ସହ ବିପୁଳ ପରିମାଣର ସୁନା, ରୁପା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏଥର ଚୋରଙ୍କ ନିଶାନ ପାଲଟିଛି କୋକସରା ସଦର ମହକୁମା କଲେଜ ଛକ ନିକଟରେ ଥିବା ପରମାନନ୍ଦ ଗୁପ୍ତାଙ୍କ ବାସଭବନ। ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପରମାନନ୍ଦ ଗୁପ୍ତା ନିଜ ପରିବାର ସହିତ କୌଣସି ଏକ ଘରୋଇ କାର୍ଯ୍ୟ ପାଇ ପାଟଣାଗଡ଼ ଯାଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ କଳାକନା ବୁଲେଇବା ସହ ନଗଦ ୧୦ ହଜାର ଟଙ୍କା, ୬ ତୋଲା ସୁନା, ୧ କେଜି ରୁପା ଓ ଗୋଟିଏ ହାତ ଘଣ୍ଟା ଚୋରି କରି ଫେରାର ହୋଇଥିବା ଘର ମାଲିକ ପ୍ରକାଶ କରିଛନ୍ତି। ଏନେଇ ବୁଧବାର କୋକସରା ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି। ଚୋର ମାନଙ୍କ ସୁରାକ୍ ପାଇବା ପାଇଁ ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତା ନେଇ ଛାନଭିନ ଜାରି ରଖିଛି। କୋକସରା ଥାନା ଅଞ୍ଚଳରେ ଅଳ୍ପ ଦିନ ମଧ୍ୟରେ ତିନୋଟି ବଡ଼ ଚୋରି ସହ ହତ୍ୟା ଭଳି ସଂଗୀନ ଘଟଣା ଘଟିସାରିଲାଣି। ପୋଲିସର ଢ଼ିଲା ପେଟ୍ରୋଲିଂ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଅଞ୍ଚଳରେ ତୁରନ୍ତ କଡ଼ା ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣ ଜନତା ଦାବି କରିଛନ୍ତି।
