ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ଓଡିଶା ଜୀବିକା ମିଶନ ବିଭାଗରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ୪ବର୍ଷ ପୂର୍ବେ ଯେତେବେଳେ କି ରଶ୍ମି ରଜନୀ ପାତ୍ର ବ୍ଲକର ବିଏଲସି ଥିବା ସମୟରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ ପରେ ମଧ୍ୟ ସରକାର ଉକ୍ତ ଘଟଣାର ତଦନ୍ତ ନକରି ଚୁପ ବସି ରହିଲେ। ଯାହା ଫଳରେ ଅଭିଯୋଗକାରୀ ମାନେ ନିରାଶ ହୋଇ ଚୁପ ରହିଲେ। ଯେତେବେଳେ ୨୦୨୪ରେ ସାଧାରଣ ନିର୍ବାଚନ ହେଲା ଓ ରାଜ୍ୟରେ ବିଜେପି ସରକାର ଗଢିଲା, ସେତେବେଳେ ଅଭିଯୋଗକାରୀ ମାନଙ୍କୁ ଏକ ଆଶାର ଆଲୋକ ଦୃଶ୍ୟମାନ ହେଲା। ସମସ୍ତେ ଏହି ଘଟଣାର ତଦନ୍ତ ପାଇଁ ଝରିଗାଁ ବିଧାୟକ ନରସିଂ ଭତରାଙ୍କୁ ଅନୁରୋଧ କରିଥିଲେ। ଏହାପରେ ବିଧାୟକ ମଧ୍ୟ ଘଟଣା ସମ୍ପର୍କରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଜଣେଇ ତଦନ୍ତ ପାଇଁ ଅନୁରୋଧ କଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟସ୍ତରୀୟ ଓଡିଶା ଜୀବିକା ମିଶନ ବିଭାଗର ଓଏଲଏମ ଫାଇନାନ୍ସସିଆଳ ଅଫିସର ଅଜିତ ସେଠ ନବରଙ୍ଗପୁର ପହଂଚି ପିଏମ ମାଧୁରୀ ତ୍ରିପାଠୀ ଓ ଡିପିଏମ ସୁସ୍ମିତା ସାମନ୍ତରାୟଙ୍କୁ ସାଙ୍ଗରେ ଧରି ଝରିଗାଁ ବ୍ଲକ ସଦର ମହକୁମାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଲିଛି। ବ୍ଲକର ମିଶନ ଶକ୍ତି ବିପିସି ଜୟନ୍ତ ପ୍ରସାଦ ରଥଙ୍କ ସମେତ କୁଟ୍ରିଛାପର, ପାଲିଆ, ରତାଖଣ୍ଡିଗୁଡା, ଡଙ୍ଗରୀଗୁଡା, ବନୁଆଗୁଡା ଓ ଭାଲୁକନାଡି ପଂଚାୟତରେ କାର୍ଯ୍ୟରତ ଏମବିକେ ସମସ୍ତ ସିଆରପି ଏବଂ ଯେପିଏଲଏଫ ପ୍ରୋଜେକ୍ଟ ସେକ୍ସନର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଆଜି ତଦନ୍ତ କରି ସମସ୍ତ କାଗଜପତ୍ର ସାଙ୍ଗରେ ନେଇ ଯିବା ସୂଚନା ମିଳିଛି।