ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀ ତେମଜେନ ୱାପାଙ୍ଗ ଗୁରୁବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ବ୍ଲକର ସାଇସୁରୁନି ସ୍ଥିତ ଉପସ୍ବାସ୍ଥ୍ୟ କେନ୍ଦ୍ରର ମାଆ ଗୃହ ପରିଦର୍ଶନ କରିବା ସହିତ ଏଠାରେ ବ୍ୟବହୃତ ବାଇକ୍ ଆମ୍ବୁଲାନ୍ସର ଉପଯୋଗୀତା ଉପରେ ବୁଝିଥିଲେ। ଏହାପରେ ଶ୍ରୀ ଓ୍ବାପାଙ୍ଗ କାଣିଗୁମାର ନୂତନ କଫି ଉଦ୍ୟାନ ପରିଦର୍ଶନ କରିବା ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ରେ ଥିବା ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକର ମହିଳାଙ୍କ ସହିତ ଆଲୋଚନା କରିଥିଲେ। ୨୦୨୨ ମସିହାରେ ଏହି କଫି ଉଦ୍ୟାନର ଶୁଭାରମ୍ଭ ହୋଇଥିଲା।ସୂଚନାଯୋଗ୍ୟ ଯେ ଥୁଆମୂଳ ରାମପୁର ବ୍ଲକରେ କଫି ଚାଷ ପାଇଁ ଏଠିକାର ଜଳବାୟୁ ଅନୁକୂଳ ଥିବା ଦୃଷ୍ଟିରେ କଫି ଚାଷର କଳ୍ପନା କରିଥିଲେ ଗତ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡି।ପରିଦର୍ଶନରେ ଆସିଥିବା ସ୍ବତନ୍ତ୍ର ସଚିବ ଶ୍ରୀ ଓ୍ବାପାଙ୍ଗ କଫି ଉଦ୍ୟାନର ସଫଳତା ଏବଂ ଏହାକୁ ଆହୁରି କିପରି ପରିବର୍ଦ୍ଧିତ କରାଯିବ ସେନେଇ ଏହାର ତତ୍ବାବଧାନ ଦାୟିତ୍ୱରେ ଥିବା ଜଳଛାୟା ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।ଏହାପରେ ସଚିବ ଶ୍ରୀ ଓ୍ବାପାଙ୍ଗ ସାନଛତ୍ରଙ୍ଗ ନିକଟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପିଞ୍ଜରା ଭିତରେ ହେଉଥିବା ମାଛ ଚାଷ ପ୍ରକଳ୍ପ ପରିଦର୍ଶନ କରିବାକୁ ବାହାରିଥିଲେ। ହେଲେ କେନ୍ଦୁଗୁଡା ଘାଟରୁ ଯିବା ପାଇଁ ଲଞ୍ଚର୍ ର ଯେଉଁ ବ୍ୟବସ୍ଥା ଥିଲା ସମୟ ଅନୁକୂଳ ନଥିବା ଯୋଗୁଁ ସେଠାରେ ହିଁ ସ୍ଥାନୀୟ ମତ୍ସ୍ୟ ସମବାୟ ସମିତିର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ବିଚ୍ଛିନାଞ୍ଚଳ ପାଲଟିଥିବା ଲୋକଙ୍କ ସମସ୍ୟା ଉପରେ ଅବଗତ ହେବାକୁ ଚେଷ୍ଟା କରିଥିଲେ। ସ୍ବତନ୍ତ୍ର ସଚିବ ଶ୍ରୀ ଓ୍ବାପାଙ୍ଗଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ,ପ୍ରୋବେସନ ଆଇ.ଏ.ଏସ୍ ଅଧିକାରୀ ଅନିମେଶ ପ୍ରଧାନ,ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲ୍ଲୀପ କୁମାର ଦୁବେ,ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାକର ନାୟକ, ସହକାରୀ ନିର୍ଦେଶକ ସାଗରୀକା ପ୍ରଧାନ, ,ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଅଧିକାରୀ ଶ୍ରୀକାନ୍ତ ଦଳେଇ ଜିଲ୍ଲା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ,ସମବାୟ ସମିତି ଇନ୍ସପେକ୍ଟର ଘନଶ୍ୟାମ ସା, ଥୁଆମୂଳ ରାମପୁର ବି.ଡି.ଓ ଧ୍ରୁବ ଚରଣ ମୁଦୁଲି ଏବଂ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।