ବିଜେଡି ଓ କଂଗ୍ରେସ ମେଣ୍ଟକୁ ଶକ୍ତଧକ୍କା: ବିଜେପି-ଦିଲ୍ଲୀପଙ୍କ ମାଷ୍ଟରଷ୍ଟ୍ରୋକ, ଭୁଶୁଡ଼ିଲା ଦୁର୍ଗ

କ୍ରାନ୍ତିକ୍ଷେତ୍ର/ଭୁବନେଶ୍ବର (ଯଯାତୀ କେଶରୀ ବେହେରା) : ରାଜ୍ୟର ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସକୁ ରାଜ୍ୟସଭା ନିର୍ବାଚନ ଫଳାଫଳ ଧରାଶାୟୀ କରିଦେଇଛି । ଦଳର ହୁଇପ୍ ଓ ନିର୍ଦ୍ଦେଶକୁ ଅମାନ୍ୟ କରି ପ୍ରାୟ ଏକ ଡଜନ ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇଥିବା ଜଣାପଡ଼ିଛି । ଆଉ ଅଳ୍ପ ସମୟ ପରେ ରାଜ୍ୟସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଆସିବ କିନ୍ତୁ ତା’ପୂର୍ବରୁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ବୁଝାମଣାକୁ ଯେ ଉଭୟ ଦଳର ନେତା-କର୍ମୀମାନେ ପସନ୍ଦ କରୁନାହାନ୍ତି ତାହା ଆଜି ସ୍ପଷ୍ଟ ହୋଇଯାଇଛି। ଏହାସହିତ ରାଜ୍ୟରେ ବିଜେପି ଅଧିକ ସୁଦୃଢ଼ ହୋଇ ଆଉ ଏକ ନୂଆ ରାଜନୀତିକ ସମୀକରଣ ଆଡ଼େ ମୁହାଁଉଥିବା ଆକଳନ କରାଯାଉଛି। ସୂତ୍ର ଅନୁସାରେ, ପ୍ରାୟ ୧୧ଜଣ ବିଧାୟକ ନିଜ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ କ୍ରସଭୋଟିଂ କରିଛନ୍ତି। ଆଉ ଏହି ସମସ୍ତ ଭୋଟ୍ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ପଡ଼ିଛି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ କହିବା ଅନୁସାରେ, କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋଷ କ୍ରସଭୋଟିଂ କରଛନ୍ତି। ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ଚକ୍ରମଣି କହଁର, ରମାକାନ୍ତ ଭୋଇ, ନବକିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ କ୍ରସଭୋଟିଂ କରିଥିବା ଜଣାପଡ଼ିଛି। ଏହି ବିଧାୟକଙ୍କ ମଧ୍ୟରୁ ଅରବିନ୍ଦ ଓ ସନାତନଙ୍କୁ ବିଜେଡି ନିଲମ୍ବନ କରିଥିଲେ ମଧ୍ୟ ଗତକାଲି ସେମାନଙ୍କୁ ଦଳୀୟ ନିଷ୍ପତ୍ତି ମାନିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲା। କଟକ ଜିଲ୍ଲାର ୩ ପ୍ରଭାବଶାଳୀ ନେତା ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ଓ ମହମ୍ମଦ ମୋକିମଙ୍କୁ ସେମାନଙ୍କ ଦଳ ଅପମାନିତ କରି ଦୂରେଇ ଦେଇଛି। କିନ୍ତୁ ସେମାନଙ୍କ ସନ୍ତାନମାନେ ଆଜି ଏହାର ପ୍ରତିଶୋଧ ନେଇଛନ୍ତି। ବିଜେଡିର ଦୁଇ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳ ଏବଂ କଂଗ୍ରେସର ସୋଫିଆ ଫିର୍ଦ୍ଦୋଷ ନିଜ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିବା ଜଣାପଡ଼ିଛି । ଗଣମାଧ୍ୟମକୁ ଆସି ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ଓ ସୌଭିକ ଏହା କହିବା ସହ ଦଳ ସେମାନଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ନେବ ତାକୁ ସ୍ୱାଗତ କରିବୁ ବୋଲି କହି ପରୋକ୍ଷରେ ବିଜେଡିକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ସୋଫିଆ କିଛି ମନ୍ତବ୍ୟ ରଖିନଥିଲେ ମଧ୍ୟ ଗତ ଦୁଇଦିନ ତଳେ ସେ ଦଳୀୟ ନିଷ୍ପତ୍ତିକୁ ମାନିବେ ନାହିଁ ବୋଲି ପରୋକ୍ଷରେ ସଙ୍କେତ ଦେଇଥିଲେ। କଟକ ରାଜନୀତିରେ ନୂଆ ସମୀକରଣର ମୂଳଦୁଆ ପଡ଼ିଥିବାବେଳେ ଜିଲ୍ଲାର ଏହି ୩ଯୁବ ନେତା ମଧ୍ୟ ବିଜେଡି-କଂଗ୍ରେସର ଅଘୋଷିତ ବୁଝାମଣାକୁ ନାପସନ୍ଦ କରୁଥିବାର ମଧ୍ୟ ପ୍ରମାଣ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ପ୍ରଭାବଶାଳୀ ବିଧାୟକ ରମେଶ ଜେନା ମଧ୍ୟ ବିଜେଡି ସହ କଂଗ୍ରେସର ବୁଝାମଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ବିଜେଡି ଶାସନ କାଳରେ ତାଙ୍କ ବିରୁଦ୍ଧରେ ଦୁଇ ଡଜନରୁ ଅଧିକ ମାମଲା ହୋଇଥିଲା। ତେଣୁ ବିଜେଡି ସହ କୌଣସି ପ୍ରକାରର ମେଂଟକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେହିପରି ବିଜେଡିର ପରିଚାଳନାକୁ ନେଇ କ୍ଷୁବ୍ଧ ହୋଇ ଦଳ ଛାଡ଼ିଥିବା ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ମଧ୍ୟ କ୍ରସଭୋଟିଂ କରିଥିବାର ସୂଚନା ମିଳିଛି। ଏମାନଙ୍କ ବ୍ୟତୀତ ଚକ୍ରମଣି କହଁର, ରମାକାନ୍ତ ଭୋଇ ଓ ନବକିଶୋର ମଲ୍ଲିକଙ୍କ ଭଳି ନେତାଙ୍କ ସମେତ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ମଧ୍ୟ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇ ବିଜେଡିର ମୂଳଦୁଆ ଦୋହଲାଇ ଦେଇଛନ୍ତି।