କ୍ରାନ୍ତିକ୍ଷେତ୍ର/ବ୍ୟୁରୋ : ନ୍ୟୁୟର୍କ ସହରର ମେୟର ଜୋହରାନ କ୍ବାମେ ମାମଦାନି ପୁଣିଥରେ ତାଙ୍କ ବୟାନ ପାଇଁ ଖବରର ଶିରୋନାମାରେ ଅଛନ୍ତି । ଏଥର ସେ ବ୍ରିଟେନର ରାଜା ଚାର୍ଲ୍ସଙ୍କୁ ନେଇ କୋହିନୂର ହୀରା ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ,ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ଭାରତର କୋହିନୂର ହୀରା ଫେରାଇବା ପାଇଁ ରାଜା ଚାର୍ଲ୍ସଙ୍କୁ ଅପିଲ୍ କରିବେ । ମାମଦାନିଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଚାର୍ଲ୍ସ ଆମେରିକା ଗସ୍ତରେ ଅଛନ୍ତି ଏବଂ ୯/୧୧ ଆକ୍ରମଣର ପୀଡିତଙ୍କ ସ୍ମୃତିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ମାମଦାନି ଏହା ମଧ୍ୟ କହିଛନ୍ତି ଯେ, ସେ କୌଣସି ରାଜକୀୟ ଔପଚାରିକତା ବିନା ସିଧାସଳଖ ଏହି ପ୍ରସଙ୍ଗ ଉଠାଇବେ । କୋହିନୂର ହୀରା କେବଳ ଏକ ମୂଲ୍ୟବାନ ମଣି ନୁହେଁ ବରଂ ଉପନିବେଶବାଦ ଐତିହ୍ୟର ପ୍ରତୀକ ଭାବରେ ବିବେଚିତ ହୋଇଥାଏ । ତାଙ୍କର ବୟାନ ଉପନିବେଶବାଦ ଏବଂ ସାଂସ୍କୃତିକ ଐତିହ୍ୟ ବିଷୟରେ ଚାଲିଥିବା ବିତର୍କକୁ ପୁନର୍ବାର ଜାଗ୍ରତ କରିଛି । ସୂଚନାଯୋଗ୍ୟ, ଜୋହରାନ କ୍ୱାମେ ମାମଦାନି ୧୮ ଅକ୍ଟୋବର ୧୯୯୧ରେ ଉଗାଣ୍ଡାର କାମ୍ପାଲାରେ ଜନ୍ମଗ୍ରହଣ କରିଥିଲେ । ସେ ଶିକ୍ଷାବିତ୍ ମହମୁଦ ମାମଦାନି ଏବଂ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାରଙ୍କ ଏକମାତ୍ର ସନ୍ତାନ । ଘାନାର ପ୍ରଥମ ରାଷ୍ଟ୍ରପତି କ୍ୱାମେ ନକ୍ରୁମାହଙ୍କ ସମ୍ମାନାର୍ଥେ ତାଙ୍କ ପିତା ତାଙ୍କୁ ତାଙ୍କର ମଧ୍ୟମ ନାମ କ୍ୱାମେ ଦେଇଥିଲେ । ତାଙ୍କ ପିତାମାତା ଉଭୟ ଭାରତୀୟ ବଂଶୋଦ୍ଭବ । ତାଙ୍କ ପିତା ଜଣେ ଗୁଜରାଟୀ ମୁସଲମାନ । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ଉଗାଣ୍ଡାରେ ପ୍ରତିପାଳିତ ହୋଇଥିଲେ । ତାଙ୍କ ମାତା ଜଣେ ପଞ୍ଜାବୀ ହିନ୍ଦୁ । ସେ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ଭୁବନେଶ୍ୱରରେ ପ୍ରତିପାଳିତ ହୋଇଥିଲେ ।

