ପୁରୀ/କ୍ରାନ୍ତିକ୍ଷେତ୍ର (ବ୍ୟୁରୋ) : ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ପୁରୀ ପୋଲିସର ଜୋରଦାର ଆକ୍ସନ। ଶ୍ରୀମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ନିଜକୁ ‘ଯାତ୍ରୀ ଗୁମାସ୍ତା’ ପରିଚୟ ଦେଇ ଭକ୍ତଙ୍କୁ ଠକୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାଶ କରିଛି ସିଂହଦ୍ୱାର ଥାନା ପୋଲିସ। ଗତ ୫ ଦିନ ମଧ୍ୟରେ ପୋଲିସ ମୋଟ ୧୧ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ବିଶେଷ ଦର୍ଶନ କରାଇଦେବା ନାଁରେ କିଛି ଅସାଧୁ ବ୍ୟକ୍ତି ଭକ୍ତମାନଙ୍କୁ ମିଛ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରୁଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା। ଏହାକୁ ଗମ୍ଭୀରତାର ସହ ନେଇ ସିଂହଦ୍ୱାର ଥାନା ପୋଲିସ ପକ୍ଷରୁ ସିଭିଲ୍ ଡ୍ରେସ୍ (ସାଧା ପୋଷାକ)ରେ କର୍ମଚାରୀମାନଙ୍କୁ ମୁତାୟନ କରାଯାଇ ସନ୍ଦେହଭାଜନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ସିଂହଦ୍ୱାର ଥାନା କେସ୍ ନଂ ୧୪୯/୨୬ ଅନୁଯାୟୀ ପ୍ରଥମେ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପୁଣି କେସ୍ ନଂ ୧୫୧/୨୬ ଅନୁଯାୟୀ ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ନଗଦ ୨,୬୨୦ ଟଙ୍କା ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ସିସିଟିଭି ଫୁଟେଜ୍ ଏବଂ ଗୁପ୍ତ ସୂଚନାକୁ ଆଧାର କରି ପୋଲିସ ଏହି ସଫଳତା ପାଇଛି। ଗିରଫ ହୋଇଥିବା ପ୍ରମୁଖ ଅଭିଯୁକ୍ତମାନଙ୍କ ମଧ୍ୟରେ ଶଙ୍କର ବିଶ୍ୱାଳ, ଅରୁଣ ପାତ୍ର, ବାବୁନି ମହାପାତ୍ର, ସର୍ବେଶ୍ୱର ରାଉତ, ରଞ୍ଜିତ ସାମନ୍ତରାୟ, ବିକ୍ରମ ପ୍ରଧାନ, ଅଜୟ କୁମାର ଜେନା ଓ ଉମାକାନ୍ତ ପାଢ଼ୀ ସାମିଲ ଅଛନ୍ତି। ଏହି ପୂରା ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ସତର୍କ କରାଇ ଦିଆଯାଇଛି ଯେ’ କୌଣସି ବ୍ୟକ୍ତି ଯଦି ବିଶେଷ ଦର୍ଶନ କିମ୍ବା ଶୀଘ୍ର ଦର୍ଶନ କରାଇଦେବା ବାହାନାରେ ଟଙ୍କା ମାଗନ୍ତି, ତେବେ ତାଙ୍କ ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଏଭଳି ସନ୍ଦେହଜନକ ବ୍ୟକ୍ତିଙ୍କ ବିଷୟରେ ଜାଣିବା ମାତ୍ରେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ, ସିଂହଦ୍ୱାର ଥାନା କିମ୍ବା ପୁରୀ ପୋଲିସ କଣ୍ଟ୍ରୋଲ୍ ରୁମକୁ ସୂଚନା ଦିଅନ୍ତୁ। ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ସଦାସର୍ବଦା ସଚେତନ ଓ ପ୍ରତିବଦ୍ଧ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

