ମଝି ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ଯାତାୟାତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରକୁ ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହ ସଂଯୋଗ କରୁଥିବା ମୁଖ୍ୟ ସଡ଼କରେ ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିବାରୁ ଯାତାୟାତ ବ୍ୟବସ୍ଥା କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, କର୍ଲାପାଟ ଥାନା ଅନ୍ତର୍ଗତ ପୁରୁଣାଗୁମା ନିକଟରେ ଏକ ପିକଅପ୍ ଗାଡ଼ି ହଠାତ୍ ନିୟନ୍ତ୍ରଣ ହରାଇ ମଝି ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ଭବାନୀପାଟଣା ଏବଂ ଥୁଆମୂଳ ରାମପୁର ଉଭୟ ଦିଗରୁ ଯାତାୟାତ କରୁଥିବା ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା। ଜଣାପଡ଼ିଛି ଯେ, ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲା। ଗାଡ଼ିରେ ସଡ଼କ ଉପରେ ରଙ୍ଗ ଚିହ୍ନ ଅଙ୍କନ ପାଇଁ ବ୍ୟବହୃତ ଏକ ମେସିନ ବୋଝେଇ ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ସୁରକ୍ଷିତ ଥିବା ସୂଚନା ମିଳିଛି। ଖବର ପାଇ କର୍ଲାପାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଯାତାୟାତ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନେଇଛି। ସ୍ଥାନୀୟ ଲୋକଙ୍କ ମତରେ, ଏହି ରାସ୍ତା ଥୁଆମୂଳ ରାମପୁର ଅଞ୍ଚଳର ଏକ ପ୍ରମୁଖ ଯୋଗାଯୋଗ ମାର୍ଗ ହୋଇଥିବାରୁ ଏଭଳି ଦୁର୍ଘଟଣା ଯାତ୍ରୀ ଓ ଯାନବାହନ ଚାଳକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରଖିଥିବା ବେଳେ ରାସ୍ତାରୁ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ହଟାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *