କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକର ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ମୋଟର ସାଇକେଲ ମଧ୍ୟର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କ ସହ ଥିବା ଅନ୍ୟ ଜଣଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ତାଙ୍କର ପରିଚୟ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ, ଅନ୍ୟ ବାଇକରେ ଥିବା ଦୁଇ ଗୁରୁତର ଆହତ ହେଲେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ତେନ୍ତୁଳିପଡ଼ାର କ୍ଷିତିରାମ ପୋଟା ଓ ମିତ୍ରଭାନୁ ମାଝୀ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ମାତ୍ର ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ତୁରନ୍ତ କୋକସରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।
ଆମ୍ବୁଲାନ୍ସ ମିଳିଲାନି, ଅଗ୍ନିଶମ ବାହିନୀ ସାଜିଲା ସାହା
ଖବର ପାଇ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ ସୁନୀଲ ରଞ୍ଜନ ବରାଲ, ରାଧେଶ୍ୟାମ ପ୍ରଧାନ, ସ୍ମୃତି ରଞ୍ଜନ ବିଶ୍ୱାଳ, ସତ୍ୟମ୍ ଶିବ ମାଝୀ, ଦେବାଶିଷ ମହାପାତ୍ର, ବିଶ୍ଵଜିତ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ତେବେ ୩ ଜଣ ଗୁରୁତରଙ୍କ ଅବସ୍ଥା ଗମ୍ଭୀର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କୋକସରା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

