ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ସହିବେନି ସରକାର; ସମନ୍ୱୟ ରଖି କାମ କରିବାକୁ ଦୁଇ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାର୍ଯ୍ୟ ପାଇଁ ଶକ୍ତି ଓ ପୂର୍ତ୍ତ ବିଭାଗ ମଧ୍ୟରେ ନିବିଡ ସମନ୍ୱୟ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ନିର୍ମାଣ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀସିଂହଦେଓ ଶକ୍ତି ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବ ଏଡାଇବା ଓ କାର୍ଯ୍ୟର ସୁଗମ ସମ୍ପାଦନ ପାଇଁ ନିରବଚ୍ଛିନ୍ନ ଆନ୍ତଃ-ବିଭାଗୀୟ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକଳ୍ପ ସମୟରେ ଜନସାଧାରଣଙ୍କ ଅସୁବିଧା ନହେବା ପାଇଁ ୟୁଟିଲିଟି ସ୍ଥାନାନ୍ତର ସହିତ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ତ୍ତ ବିଭାଗ ତରଫରୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଉଭୟ ବିଭାଗ ସୁରକ୍ଷା ମାନ, ବୈଧାନିକ ଅନୁପାଳନ ଏବଂ କାର୍ଯ୍ୟର ଗୁଣବତ୍ତା ସହିତ କୌଣସି ସାଲିସ ନକରି ବିଳମ୍ବ ଏଡାଇବା ଏବଂ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ  ବିଶାଳ କୁମାର ଦେବ; ପ୍ରମୁଖ ଶାସନ ସଚିବ, ପୂର୍ତ୍ତ ବିଭାଗ ସଞ୍ଜୟ କୁମାର ସିଂହ; ସିଏମଡି, ଓପିଟିସିଏଲ ଭାସ୍କର ଜ୍ୟୋତି ଶର୍ମା; ଚାରୋଟି ଡିଷ୍ଟ୍ରିବ୍ୟୁସନ କମ୍ପାନୀର ସିଇଓ; ସର୍ବୋଚ୍ଚ ଯନ୍ତ୍ରୀ (ଇଲେକ୍ଟ୍ରିକାଲ); ଶକ୍ତି, ପୂର୍ତ୍ତ ବିଭାଗ, ଆର୍ ଆଣ୍ଡ୍ ବି, ଏନଏଚଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ଆଲୋଚିତ ବିଷୟରେ ନିଜର ମତାମତ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *