ଆରମ୍ଭ ରୁ ଓଭର ହେଡ ଟାଙ୍କି ରୁ ଝରିଲାଣି ପାଣି, କାମ ର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ!

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ପଞ୍ଚାୟତରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପର ଓଭରହେଡ୍ ପାଣି ଟାଙ୍କିରେ ପରୀକ୍ଷାମୂଳକ ଭାବେ ପାଣି ପୁରା ଯାଇଥିବା ବେଳେ ଟାଙ୍କିର ବିଭିନ୍ନ ସ୍ଥାନରୁ ପାଣି ଝରୁଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ବାସୀ। ଏହାକୁ ନେଇ ପ୍ରକଳ୍ପର କାର୍ଯ୍ୟ ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଜଳ ଯୋଗଣ ବିଭାଗ ଅଧୀନରେ ନିର୍ମାଣ ହେଉଥିବା ଏହି ପାଣି ଟାଙ୍କିର କାମ ନିମ୍ନମାନର ହୋଇଛି। ବାହାର ରାଜ୍ୟର ଠିକାଦାରଙ୍କ ଦ୍ୱାରା କାମ କରାଯାଇଥିବା ବେଳେ ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଗୋଲାମୁଣ୍ଡା ବ୍ଲକରେ ପ୍ରାୟ ୨୭ ଟି ମେଗା ପ୍ରକଳ୍ପ ପ୍ରାୟ ୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବେଳେ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କାର୍ଯ୍ୟର ଗୁଣବତ୍ତା କୁ ନେଇ ପ୍ରଶ୍ନ ଉଠୁଛି। ନକଟିକାନୀ ର ପୂର୍ବତନ ସରପଞ୍ଚ ଜତିନ୍ଦ୍ର ସେନାପତିଙ୍କ କହିବା ଅନୁଯାୟୀ, ଉକ୍ତ ପ୍ରକଳ୍ପ ପାଇଁ ଗ୍ରାମ ପଞ୍ଚାୟତ ପକ୍ଷରୁ ମଧ୍ୟ ୧୦ ଲକ୍ଷ ଟଙ୍କା ଅବଦାନ ଦିଆଯାଇଛି। ଗୋଟିଏ ଓଭରହେଡ୍ ପାଣି ଟାଙ୍କି ପାଇଁ ୫୯,୨୫,୯୨୫ ଟଙ୍କା ଏବଂ ପଞ୍ଚାୟତର ୧୦ ଲକ୍ଷ ଟଙ୍କା ମିଶି ସମୁଦାୟ ୬୯,୨୫,୯୨୫ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ତେବେ ପ୍ରାରମ୍ଭିକ ପରୀକ୍ଷଣ ରେ ହିଁ ଟାଙ୍କିରୁ ପାଣି ଝରିବା ଘଟଣା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏନେଇ ଗୋଲାମୁଣ୍ଡା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବାସ ପଣ୍ଡାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ପରୀକ୍ଷାମୂଳକ ଭାବେ ପାଣି ଛଡ଼ା ଯାଇଥିଲା। ଯେଉଁ ସ୍ଥାନ ଗୁଡ଼ିକରୁ ପାଣି ଝରୁଛି, ସେଗୁଡ଼ିକର ମରାମତି କରାଯାଇ ପୁଣିଥରେ ପରୀକ୍ଷା କରାଯିବ। ତେବେ ନୂତନ ଭାବେ ନିର୍ମିତ ଏକ ପାଣି ଟାଙ୍କିରୁ ପ୍ରଥମ ପରୀକ୍ଷଣରେ ହିଁ ପାଣି ଝରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତ ବାସୀ ଦାବି କରିଛନ୍ତି ଯେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଠିକା ସଂସ୍ଥା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ଏବେ ଦେଖିବାକୁ ବାକି ରହିଲା, କେବେ ଟାଙ୍କିର ତ୍ରୁଟି ସୁଧାର ହେଉଛି ଏବଂ କେବେ ନକଟିକାନୀ ପଞ୍ଚାୟତ ବାସୀ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇ ପାରୁଛନ୍ତି।

Leave a Reply

Your email address will not be published. Required fields are marked *