ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ପଞ୍ଚାୟତ ଅନ୍ତର୍ଗତ ସାନଟେମରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ନେଇ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସିଛି। ବିଦ୍ୟାଳୟରେ ପ୍ରାୟ ୧୮୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ରହି ପାଠପଢ଼ୁଥିବା ବେଳେ ହୋଷ୍ଟେଲରେ ଖାଦ୍ୟ ଓ ରହଣି ବ୍ୟବସ୍ଥାରେ ଅବ୍ୟବସ୍ଥା ଥିବା ଅଭିଯୋଗ ଉଠିଛି। ଏହାର ପ୍ରତିବାଦରେ କେତେକ ଛାତ୍ରଛାତ୍ରୀ ହୋଷ୍ଟେଲ ଛାଡ଼ି ଚାଲିଚାଲି ନିଜ ଗାଁକୁ ଫେରୁଥିବା ଦେଖିବାକୁ ମିଳିଥିବା ସୂଚନା ମିଳିଛି।ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ହୋଷ୍ଟେଲରେ ସେମାନଙ୍କୁ ଉନ୍ନତମାନର ଖାଦ୍ୟ ମିଳୁନାହିଁ ଏବଂ ରହିବା ପାଇଁ ଆବଶ୍ୟକ ମୌଳିକ ସୁବିଧା ମଧ୍ୟ ପର୍ଯ୍ୟାପ୍ତ ନାହିଁ। ଫଳରେ ଅସନ୍ତୁଷ୍ଟ ହୋଇ କେତେକ ଛାତ୍ରଛାତ୍ରୀ ହୋଷ୍ଟେଲ ଛାଡ଼ି ଘରମୁହାଁ ହୋଇଥିବା ଅଭିଯୋଗ ହୋଇଛି। ଏହାସହ କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟର କେତେକ ଶିକ୍ଷକ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ ପହଞ୍ଚୁନାହାନ୍ତି। କେତେକ ଶିକ୍ଷକ ସକାଳ ୧୦ଟା ପରେ ବିଦ୍ୟାଳୟକୁ ଆସୁଥିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇ ହୋଷ୍ଟେଲକୁ ଫେରାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ମାଟ୍ରିକ ପରୀକ୍ଷା ନିକଟରେ ଥିବାରୁ ଏଭଳି ପରିସ୍ଥିତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ପ୍ରଭାବ ପକାଇପାରେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଉଠିଥିବା ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରି ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଓ ଅଭିଭାବକମାନେ ଦାବି କରିଛନ୍ତି।
